Odia Poetry

ଡଙ୍ଗାଭସା Danga Bhasa

A soulful ode to Odia maritime heritage, cultural pride, and the timeless spirit of our ancestors.

ଡଙ୍ଗାଭସା
Manindra Mohanty

କଦଳୀ ପଟୁଆ ଡଙ୍ଗାଟି ମୋହର ହସଖୁସି ମନେ ଭାସିଯା,
ଆମରି ପୂରୁବ ସୁବର୍ଣ୍ଣ ଗୌରବ ସନ୍ଦେଶ ନେଇ ଭାସିଯା ।

ଓଡ଼ିଆ ସାଧବ ହୃଦେ ବାନ୍ଧି ଦମ୍ଭ ସାଗରେ ବୋଇତ ବାହେ,
ଦେଶ ଦେଶାନ୍ତରେ ବାଣିଜ୍ୟ ବେପାରେ ଯଶ କେତନ ଉଡାଏ ।

ତଅପୋଈ କଥା ତା କରୁଣ ଗାଥା ଖୁଦୁରୁକୁଣୀର ପୂଜା,
ବାଲିଯାତରାର ହସଖୁସି ମେଳା - ସାଧବ ସ୍ମୃତିରେ ଭିଜା ।

"ଆ କା ମା ବଇ ପାନଗୁଆ ଥୋଇ" ସଂଗୀତର ତାଳେ ତାଳେ,
ମାସ ଗୋଟାକର ଧରମ ସାଉଁଟି ଡଙ୍ଗା ମୋର ଭାସେ ଜଳେ ।

ଯାଇଅଛି ବିତି ସେ କାଳର କୀର୍ତ୍ତି ଆଜି ବି ଆମର ମାନ,
ଆମରି ପ୍ରେରଣା, ଜାତିର ଚେତନା - ଆଗେଇବା ଆମ କାମ ।

ସମୟର କ୍ରମେ ଶୀଥିଳ କରମେ ଭୁଲିଛୁ ନିଜ ସାମର୍ଥ୍ୟ,
ସମୃଦ୍ଧି ପଥରେ ପଡିଛୁ ପଛରେ ଆଗ କରି ଆତ୍ମ ସ୍ଵାର୍ଥ ।

ଗୋପବନ୍ଧୁ ବାଣୀ ବିସ୍ମୃତ ହେଲାଣି, ମଧୂବାବୁ ଇତିହାସ,
ଫିକା ଜାତି ପ୍ରୀତି, ସ୍ଵାର୍ଥ ସାରଥୀ, ତୋଷାମଦ ସରବସ୍ଵ ।

ଦେଶ ଜାତି ମିଶି ଯାଆନ୍ତୁ ମାଟିରେ ଭଲରେ ଆମେ ଥାଉଟି,
ସଂସ୍କୃତି ଆମର ଲୁଚୁଛି ଲାଜରେ ଦେଖି ଏଇ ଢଙ୍ଗ ରୀତି ।

ଭାଷାଟା ଆମର ଶାସ୍ତ୍ରୀୟ ହୋଇଛି ନୂଆପୀଢି ପାଇଁ ବିଷ,
ବରଷକେ ଥରେ ପର୍ବ ପାଳିଦେଲେ ଆମର କର୍ତ୍ତବ୍ୟ ଶେଷ ।

ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ,
ପୂରୁବ ଗୌରବ ପୂରୁବ ସାହସ ପଡିବ କି କେବେ ମନେ ।

କଦଳୀ ପଟୁଆ ଡଙ୍ଗାଟି ମୋହର ହସଖୁସି ମନେ ଭାସିଯା,
ଆମରି ପୂରୁବ ସୁବର୍ଣ୍ଣ ଗୌରବ ସନ୍ଦେଶ ନେଇ ଭାସିଯା ।

ତୋହରି ଭସାଣୀ ତୋ ଦୀପ ରୋଷଣୀ ମନେଭରେ ଟିକି ଆଶା,
ଆମରି ଜନନୀ ହସିବ ପୁଉଣି ପ୍ରଭୁ କାଳିଆ ଭରସା ।