କଦଳୀ ପଟୁଆ ଡଙ୍ଗାଟି ମୋହର ହସଖୁସି ମନେ ଭାସିଯା,
ଆମରି ପୂରୁବ ସୁବର୍ଣ୍ଣ ଗୌରବ ସନ୍ଦେଶ ନେଇ ଭାସିଯା ।
ଓଡ଼ିଆ ସାଧବ ହୃଦେ ବାନ୍ଧି ଦମ୍ଭ ସାଗରେ ବୋଇତ ବାହେ,
ଦେଶ ଦେଶାନ୍ତରେ ବାଣିଜ୍ୟ ବେପାରେ ଯଶ କେତନ ଉଡାଏ ।
ତଅପୋଈ କଥା ତା କରୁଣ ଗାଥା ଖୁଦୁରୁକୁଣୀର ପୂଜା,
ବାଲିଯାତରାର ହସଖୁସି ମେଳା - ସାଧବ ସ୍ମୃତିରେ ଭିଜା ।
"ଆ କା ମା ବଇ ପାନଗୁଆ ଥୋଇ" ସଂଗୀତର ତାଳେ ତାଳେ,
ମାସ ଗୋଟାକର ଧରମ ସାଉଁଟି ଡଙ୍ଗା ମୋର ଭାସେ ଜଳେ ।
ଯାଇଅଛି ବିତି ସେ କାଳର କୀର୍ତ୍ତି ଆଜି ବି ଆମର ମାନ,
ଆମରି ପ୍ରେରଣା, ଜାତିର ଚେତନା - ଆଗେଇବା ଆମ କାମ ।
ସମୟର କ୍ରମେ ଶୀଥିଳ କରମେ ଭୁଲିଛୁ ନିଜ ସାମର୍ଥ୍ୟ,
ସମୃଦ୍ଧି ପଥରେ ପଡିଛୁ ପଛରେ ଆଗ କରି ଆତ୍ମ ସ୍ଵାର୍ଥ ।
ଗୋପବନ୍ଧୁ ବାଣୀ ବିସ୍ମୃତ ହେଲାଣି, ମଧୂବାବୁ ଇତିହାସ,
ଫିକା ଜାତି ପ୍ରୀତି, ସ୍ଵାର୍ଥ ସାରଥୀ, ତୋଷାମଦ ସରବସ୍ଵ ।
ଦେଶ ଜାତି ମିଶି ଯାଆନ୍ତୁ ମାଟିରେ ଭଲରେ ଆମେ ଥାଉଟି,
ସଂସ୍କୃତି ଆମର ଲୁଚୁଛି ଲାଜରେ ଦେଖି ଏଇ ଢଙ୍ଗ ରୀତି ।
ଭାଷାଟା ଆମର ଶାସ୍ତ୍ରୀୟ ହୋଇଛି ନୂଆପୀଢି ପାଇଁ ବିଷ,
ବରଷକେ ଥରେ ପର୍ବ ପାଳିଦେଲେ ଆମର କର୍ତ୍ତବ୍ୟ ଶେଷ ।
ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ,
ପୂରୁବ ଗୌରବ ପୂରୁବ ସାହସ ପଡିବ କି କେବେ ମନେ ।
କଦଳୀ ପଟୁଆ ଡଙ୍ଗାଟି ମୋହର ହସଖୁସି ମନେ ଭାସିଯା,
ଆମରି ପୂରୁବ ସୁବର୍ଣ୍ଣ ଗୌରବ ସନ୍ଦେଶ ନେଇ ଭାସିଯା ।
ତୋହରି ଭସାଣୀ ତୋ ଦୀପ ରୋଷଣୀ ମନେଭରେ ଟିକି ଆଶା,
ଆମରି ଜନନୀ ହସିବ ପୁଉଣି ପ୍ରଭୁ କାଳିଆ ଭରସା ।